ବାଇବଲ · Indian Revised Version (Odia)
ଏବ୍ରୀ 6
1 ଅତଏବ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନ-ପରିବର୍ତ୍ତନ, ଈଶ୍ବରଙ୍କଠାରେ ବିଶ୍ୱାସ,
2 ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ ଓ ଅନନ୍ତ ବିଚାର ସ୍ୱରୂପ ଭିତ୍ତିମୂଳ ପୁନର୍ବାର ନ ବସାଇ ସିଦ୍ଧି ଲାଭ କରିବା ନିମନ୍ତେ ଅଗ୍ରସର ହେଉ।
3 ହଁ, ଈଶ୍ବରଙ୍କ ଅନୁମତି ହେଲେ ଆମ୍ଭେମାନେ ଏହା କରିବା।
4 କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ କରିଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି,
5 ଈଶ୍ବରଙ୍କ ଉତ୍ତମ ବାକ୍ୟ ଓ ଆଗାମୀ ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି,
6 ସେମାନେ ଯଦି ସତ୍ୟଭ୍ରଷ୍ଟ ହୁଅନ୍ତି, ତାହାହେଲେ ମନ-ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ, ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ବରଙ୍କ ପୁତ୍ରଙ୍କୁ, ପୁଣି, କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି।
7 କାରଣ ଯେଉଁ ଭୂମି ଆପଣା ଉପରେ ବାରମ୍ବାର ପତିତ ବୃଷ୍ଟିଜଳ ପାନ କରେ, ଆଉ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ, ସେମାନଙ୍କର ଉପଯୋଗୀ ଶସ୍ୟ ଉତ୍ପନ୍ନ କରେ, ତାହା ଈଶ୍ବରଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
8 କିନ୍ତୁ ତାହା ଯଦି କଣ୍ଟା ଓ ଅଗରା ଗଛ ଉତ୍ପନ୍ନ କରେ, ତେବେ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହୁଏ, ପୁଣି, ତାହାର ଶେଷ ଦଶା ଅଗ୍ନିଦାହ।
9 କିନ୍ତୁ ହେ ପ୍ରିୟମାନେ, ଆମ୍ଭେମାନେ ଯଦ୍ୟପି ଏହିପରି କହୁଅଛୁ, ତଥାପି ତୁମ୍ଭମାନଙ୍କ ଅବସ୍ଥା ଯେ ତାହାଠାରୁ ଉତ୍ତମ ଓ ପରିତ୍ରାଣସଂଯୁକ୍ତ, ଏହା ଆମ୍ଭେମାନେ ଦୃଢ଼ରୂପେ ବିଶ୍ୱାସ କରୁଅଛୁ।
10 କାରଣ ଈଶ୍ବର ତୁମ୍ଭମାନଙ୍କର କର୍ମ, ଆଉ ସାଧୁଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଯାହା ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ କରୁଅଛ, ତାହା ଈଶ୍ବର ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହଁନ୍ତି।
11 ମାତ୍ର ଆମ୍ଭମାନଙ୍କର ଏକାନ୍ତ ଇଚ୍ଛା ଯେ, ତୁମ୍ଭେମାନେ ପ୍ରତ୍ୟେକେ ଶେଷ ପର୍ଯ୍ୟନ୍ତ ସୁଦ୍ଧା ଦୃଢ଼ ଭରସା ସହ ସେହି ପ୍ରକାର ଯତ୍ନବାନ ହୁଅ,
12 ଯେପରି ତୁମ୍ଭେମାନେ ଶିଥିଳ ନ ହୋଇ, ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞାସମୂହର ଅଧିକାରୀ, ବରଂ ସେମାନଙ୍କର ଅନୁକାରୀ ହୁଅ।
13 କାରଣ ଈଶ୍ବର ଯେତେବେଳେ ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେତେବେଳେ ସେ ଆଉ କୌଣସି ମହାନ ନାମ ନ ପାଇବାରୁ ଆପଣା ନାମରେ ଶପଥ କରି କହିଥିଲେ,
14 “ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା।”
15 ଆଉ ଏହି ପ୍ରକାରେ ଦୀର୍ଘସହିଷ୍ଣୁ ହୋଇ ଅବ୍ରହାମ ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇଥିଲେ।
16 ମନୁଷ୍ୟମାନେ ତ ସେମାନଙ୍କଠାରୁ ମହାନ ନାମରେ ଶପଥ କରିଥାଆନ୍ତି, ଆଉ କଥା ସ୍ଥିର କରିବା ନିମନ୍ତେ ସେମାନଙ୍କର ସମସ୍ତ ବିବାଦର ନିଷ୍ପତ୍ତି ଶପଥ ଦ୍ୱାରା ହୁଏ।
17 ଏଣୁ ଈଶ୍ବର ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ଆପଣା ସଂକଳ୍ପର ଅଟଳତା ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଇଚ୍ଛା କରି ପ୍ରତିଜ୍ଞା ସହ ଶପଥ ମଧ୍ୟ କରିଥିଲେ,
18 ଯେପରି ଯେଉଁ ଦୁଇ ଅପରିବର୍ତ୍ତନୀୟ ବିଷୟରେ ଈଶ୍ବରଙ୍କ ମିଥ୍ୟା କହିବା ଅସମ୍ଭବ, ତଦ୍ୱାରା ସମ୍ମୁଖସ୍ଥ ଭରସାକୁ ଧରିବା ନିମନ୍ତେ ଆଶ୍ରୟସ୍ଥଳକୁ ପଳାୟନ କରିଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ଦୃଢ଼ ଉତ୍ସାହ ପ୍ରାପ୍ତ ହେଉ।
19 ସେହି ଭରସା ଆମ୍ଭମାନଙ୍କ ଆତ୍ମାର ଲଙ୍ଗର ସ୍ୱରୂପ, ତାହା ବିଚ୍ଛେଦବସ୍ତ୍ରାବୃତ ସ୍ଥାନରେ ପ୍ରବେଶ କରି ଦୃଢ଼ ଓ ଅଟଳ ହୋଇଅଛି,
20 ଆଉ, ଯୀଶୁ ସେହି ସ୍ଥାନରେ ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0