ବାଇବଲ · Indian Revised Version (Odia)

ଏବ୍ରୀ 5

1 କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନୀତ ହୋଇ ଈଶ୍ବରଙ୍କ ସେବା ସମ୍ବନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି।

2 ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ;

3 ଏଥିସକାଶୁ ଲୋକମାନଙ୍କ ନିମନ୍ତେ ଯେପରି, ଆପଣା ନିମନ୍ତେ ମଧ୍ୟ ସେହିପରି ପାପାର୍ଥକ ବଳି ଉତ୍ସର୍ଗ କରିବା ତାହାଙ୍କ ଆବଶ୍ୟକ।

4 ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ବରଙ୍କ ଦ୍ୱାରା ଆହୂତ ହେବା ଆବଶ୍ୟକ।

5 ସେହିପରି ଖ୍ରୀଷ୍ଟ ମଧ୍ୟ ମହାଯାଜକ ପଦର ଗୌରବ ନିଜେ ଅନ୍ୱେଷଣ କରି ନ ଥିଲେ, କିନ୍ତୁ ଈଶ୍ବର ତାହାଙ୍କୁ ସେହି ଗୌରବର ପଦ ଦେଇଥିଲେ, କାରଣ ସେ ତାହାଙ୍କୁ କହିଥିଲେ, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ।”

6 ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।”

7 ଈଶ୍ବର ଯିଏ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ

8 ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଈଶ୍ବରଙ୍କଠାରେ ଆଜ୍ଞାବହତା ଶିଖିଲେ,

9 ପୁଣି, ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ;

10 ଏହେତୁ ସେ ଈଶ୍ବରଙ୍କ କର୍ତ୍ତୃକ ମଲ୍‍କୀଷେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ।

11 ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି, ଆଉ ତୁମ୍ଭେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବା କଷ୍ଟକର।

12 କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ୍ ଥିଲା, ତଥାପି ଈଶ୍ବରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି; ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ।

13 ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଜାଣେ ନାହିଁ, କାରଣ ସେ ଶିଶୁମାତ୍ର।

14 କିନ୍ତୁ ବୃଦ୍ଧ ଲୋକେ, ଅର୍ଥାତ୍‍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ।

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0