ବାଇବଲ · Indian Revised Version (Odia)

ଗୀତସଂହିତା 11

1 ମୁଁ ସଦାପ୍ରଭୁଙ୍କଠାରେ ଶରଣ ନିଏ; ତୁମ୍ଭେମାନେ କିପରି ମୋʼ ପ୍ରାଣକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?”

2 କାରଣ ଦେଖ! ଦୁଷ୍ଟମାନେ ସରଳଚିତ୍ତ ଲୋକକୁ ଅନ୍ଧକାରରେ ବିନ୍ଧିବା ପାଇଁ ଧନୁ ନୁଆଁନ୍ତି, ସେମାନେ ଗୁଣରେ ତୀରଯୁକ୍ତ କରନ୍ତି।

3 ଯଦି ଭିତ୍ତିମୂଳ ଉତ୍ପାଟିତ ହୁଏ, ତେବେ ଧାର୍ମିକ କʼଣ କରି ପାରିବ?

4 ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି, ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ, ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରେ।

5 ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି; ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ସେ ଘୃଣା କରନ୍ତି।

6 ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ; ଅଗ୍ନି, ଗନ୍ଧକ ଓ ଝାଞ୍ଜି ପବନ ସେମାନଙ୍କ ପାନପାତ୍ରର ଅଂଶ ହେବ।

7 କାରଣ ସଦାପ୍ରଭୁ ଧର୍ମମୟ; ସେ ଧାର୍ମିକତାକୁ ପ୍ରେମ କରନ୍ତି; ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ।

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0