ବାଇବଲ · Indian Revised Version (Odia)

ତୀତସ 1

1 ପାଉଲ, ଈଶ୍ବରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ୱାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ ପତ୍ର,

2 ଈଶ୍ବରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି;

3 ସେହି ଅନନ୍ତ ଜୀବନ ସତ୍ୟ ଈଶ୍ବର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଆଜ୍ଞାନୁସାରେ ମୋʼ ଠାରେ ସମର୍ପିତ ହୋଇଅଛି।

4 ପିତା ଈଶ୍ବର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।

5 ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;

6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର।

7 କାରଣ ଅଧ୍ୟକ୍ଷ, ଈଶ୍ବରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦ-ପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟପ୍ରିୟ,

8 ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟ-ପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ,

9 ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ।

10 କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି;

11 ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି।

12 ସେମାନଙ୍କର ଜଣେ ସ୍ୱଜାତୀୟ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସକ ପଶୁ ତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି।

13 ଏହି ଉକ୍ତିଟି ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀମାନଙ୍କ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,

14 ଏଥିପାଇଁ ସେମାନଙ୍କୁ ଦୃଢ ରୂପେ ଅନୁଯୋଗ କର।

15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ। ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ।

16 ସେମାନେ ଈଶ୍ବରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନେ ଆପଣା କର୍ମ ଦ୍ୱାରା ତାହାଙ୍କୁ ଅସ୍ବୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ।

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0