ବାଇବଲ · Indian Revised Version (Odia)

ପ୍ରକାଶିତ 8

1 ମେଷଶାବକ ଯେତେବେଳେ ସପ୍ତମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ସ୍ୱର୍ଗରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ନୀରବତା ବିରାଜିତ ହେଲା।

2 ତତ୍ପରେ ମୁଁ ଈଶ୍ବରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦିଆ ହେଲା।

3 ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପଦାନୀ ଥିଲା, ପୁଣି, ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଅର୍ପଣ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା।

4 ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ବରଙ୍କ ସମ୍ମୁଖରେ ଉଠିଲା।

5 ପରେ ସେହି ଦୂତ ଧୂପଦାନୀ ଘେନି ବେଦିର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ। ସେଥିରେ ବଜ୍ରଧ୍ୱନୀ, ବିଭିନ୍ନ ସ୍ୱର, ବିଜୁଳି ଓ ଭୂମିକମ୍ପ ହେଲା।

6 ସେତେବେଳେ ସପ୍ତ ତୂରୀଧାରୀ ସପ୍ତ ଦୂତ ତୂରୀଧ୍ୱନୀ କରିବାକୁ ପ୍ରସ୍ତୁତ ହେଲେ।

7 ପ୍ରଥମ ଦୂତ ତୂରୀଧ୍ୱନୀ କରନ୍ତେ ରକ୍ତ-ମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତିନି ଭାଗ ପୁଣି, ସମସ୍ତ ସବୁଜ ରଙ୍ଗର ଘାସ ଜଳିଗଲା।

8 ଦ୍ୱିତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଯେପରି ଅଗ୍ନି ପ୍ରଜ୍ୱଳିତ ଗୋଟିଏ ବୃହତ ପର୍ବତ ସମୁଦ୍ରରେ ନିକ୍ଷିପ୍ତ ହେଲା; ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହୋଇଗଲା,

9 ପୁଣି, ସମୁଦ୍ରରେ ଥିବା ଜୀବମାନଙ୍କର ତୃତୀୟାଂଶ ମଲେ ଓ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା।

10 ତୃତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଅଗ୍ନିଶିଖା ପରି ପ୍ରଜ୍ୱଳିତ ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ଖସି ନଦୀସମୂହର ତୃତୀୟାଂଶ ଓ ନିର୍ଝରଗୁଡ଼ିକ ଉପରେ ପତିତ ହେଲା;

11 ସେହି ନକ୍ଷତ୍ରର ନାମ ନାଗଦଅଣା। ସେଥିରେ ଜଳର ତୃତୀୟାଂଶ ନାଗଦଅଣା ହେଲା, ଆଉ ଅନେକ ଲୋକ ସେହି ଜଳ ହେତୁ ମଲେ, କାରଣ ତାହା ତିକ୍ତ କରାଯାଇଥିଲା।

12 ଚତୁର୍ଥ ଦୂତ ତୂରୀଧ୍ୱନୀ କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର ସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରହିତ ହେଲା ଓ ରାତ୍ରି ମଧ୍ୟ ସେହି ପ୍ରକାର ହେଲା।

13 ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଷପକ୍ଷୀ ଉଚ୍ଚସ୍ୱରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ୱନୀ କରିବାକୁ ଯାଉଅଛନ୍ତି।

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0