ବାଇବଲ · Indian Revised Version (Odia)

ପ୍ରକାଶିତ 14

1 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ ଆଉ ଯେଉଁମାନଙ୍କ କପାଳରେ ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ଏକ ଲକ୍ଷ ଚୌରାଳିଶ ହଜାର ଲୋକଙ୍କୁ ତାହାଙ୍କ ସହିତ ଦଣ୍ଡାୟମାନ ଥିବାର ଦେଖିଲି।

2 ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି।

3 ସେମାନେ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ, ପୁଣି, ପୃଥିବୀରୁ କ୍ରୀତ ସେହି ଏକ ଲକ୍ଷ ଚୌରାଳିଶ ହଜାର ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ।

4 ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି କରି ରଖିଥିଲେ। ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ସେମାନେ ଈଶ୍ବର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି;

5 ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ।

6 ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ,

7 ଈଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର।

8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍‍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି।

9 ସେମାନଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍‍ ତୃତୀୟ ଦୂତ ଆସି ଉଚ୍ଚସ୍ୱରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ ପୁଣି, ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ,

10 ତେବେ ସେ ମଧ୍ୟ, ଅମିଶ୍ରିତ ଭାବେ ପ୍ରସ୍ତୁତ କରାଯାଇଥିବା ଈଶ୍ବରଙ୍କ କୋପରୂପ ସୁରା ପାନ କରିବ, ପୁଣି, ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ।

11 ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ।

12 ଏଠାରେ ସାଧୁମାନଙ୍କର, ଅର୍ଥାତ୍‍ ଯେଉଁମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ।

13 ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ।

14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ।

15 ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାଚ୍ଛନ୍ନ ବ୍ୟକ୍ତିଙ୍କୁ ଉଚ୍ଚସ୍ୱରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ପରିପକ୍ୱ ହୋଇଅଛି।

16 ତହୁଁ ସେହି ମେଘାଛନ୍ନ ବ୍ୟକ୍ତି ପୃଥିବୀରେ ଆପଣା ଦାଆ ଲଗାନ୍ତେ ସେଥିର ଶସ୍ୟ କଟାଗଲା।

17 ତତ୍ପରେ ସ୍ୱର୍ଗସ୍ଥ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ, ତାହାଙ୍କ ହସ୍ତରେ ମଧ୍ୟ ଗୋଟିଏ ତୀକ୍ଷ୍ଣ ଦାଆ ଥିଲା।

18 ପୁଣି, ବେଦି ନିକଟରୁ ଆଉ ଜଣେ ଦୂତ ବାହାର ହେଲେ, ସେ ଅଗ୍ନି ଉପରେ କ୍ଷମତା ପ୍ରାପ୍ତ; ଯାହାଙ୍କ ହସ୍ତରେ ତୀକ୍ଷ୍ଣ ଦାଆ ଥିଲା, ତାହାଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, ତୁମ୍ଭର ତୀକ୍ଷ୍ଣ ଦାଆ ଲଗାଅ ଓ ପୃଥିବୀର ଦ୍ରାକ୍ଷାପେଣ୍ଡାସବୁ ସଂଗ୍ରହ କର, କାରଣ ସେଥିର ଦ୍ରାକ୍ଷାଫଳସବୁ ପରିପକ୍ୱ ହୋଇଅଛି।

19 ତହିଁରେ ସେହି ଦୂତ ପୃଥିବୀରେ ଆପଣା ଦାଆ ଲଗାଇ ସେଥିର ଦ୍ରାକ୍ଷାଫଳସବୁ ସଂଗ୍ରହ କଲେ ଓ ଈଶ୍ବରଙ୍କ କ୍ରୋଧରୂପ ମହା ଦ୍ରାକ୍ଷାକୁଣ୍ଡରେ ସେହିସବୁ ନିକ୍ଷେପ କଲେ।

20 ନଗରର ବାହାରେ ସେହି ଦ୍ରାକ୍ଷାକୁଣ୍ଡ ଦଳିତ ହେଲା, ଆଉ ସେଥିରୁ ରକ୍ତ ବାହାର ହୋଇ ଅଶ୍ୱମାନଙ୍କ ଲଗାମ ପର୍ଯ୍ୟନ୍ତ ଉଠି ଏକ ଶହ କୋଶ ପର୍ଯ୍ୟନ୍ତ ବ୍ୟାପ୍ତ ହେଲା।

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0