ବାଇବଲ · Indian Revised Version (Odia)
ଗୀତସଂହିତା 94
1 ହେ ସଦାପ୍ରଭୋ, ପ୍ରତିଫଳଦାତା ପରମେଶ୍ୱର, ହେ ପ୍ରତିଫଳଦାତା ପରମେଶ୍ୱର, ଆପଣା କ୍ରୋଧ ଦେଖାଅ।
2 ହେ ପୃଥିବୀର ବିଚାରକର୍ତ୍ତା, ଉଠ; ଅହଙ୍କାରୀମାନଙ୍କୁ ସେମାନଙ୍କ କର୍ମାନୁସାରେ ପ୍ରତିଫଳ ଦିଅ।
3 ହେ ସଦାପ୍ରଭୋ, ଦୁଷ୍ଟମାନେ କେତେ କାଳ, ଦୁଷ୍ଟମାନେ କେତେ କାଳ ଜୟଧ୍ୱନି କରିବେ?
4 ସେମାନେ କେତେ କାଳ ଅହଙ୍କାରରେ କଥା ଉଚ୍ଚାରଣ କରି କହିବେ? ଅଧର୍ମାଚାରୀ ସମସ୍ତେ ଦର୍ପ କରନ୍ତି।
5 ହେ ସଦାପ୍ରଭୋ, ସେମାନେ ତୁମ୍ଭ ଲୋକମାନଙ୍କୁ ଚୂର୍ଣ୍ଣ କରନ୍ତି ଓ ତୁମ୍ଭ ଅଧିକାରକୁ କ୍ଳେଶ ଦିଅନ୍ତି।
6 ସେମାନେ ବିଧବା, ବିଦେଶୀକୁ ବଧ କରନ୍ତି ଓ ପିତୃହୀନମାନଙ୍କୁ ହତ୍ୟା କରନ୍ତି।
7 ପୁଣି, “ସଦାପ୍ରଭୁ ଦେଖିବେ ନାହିଁ, କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ, ଏହା ସେମାନେ କହନ୍ତି।”
8 ହେ ଲୋକଙ୍କ ମଧ୍ୟରେ ପଶୁବତ୍ ଲୋକେ, ତୁମ୍ଭେମାନେ ବିବେଚନା କର; ହେ ମୂଢ଼ଗଣ, ତୁମ୍ଭେମାନେ କେବେ ଜ୍ଞାନବାନ ହେବ?
9 ଯେ କର୍ଣ୍ଣ ରୋପଣ କଲେ, ସେ କି ଶୁଣିବେ ନାହିଁ? ଯେ ଚକ୍ଷୁ ଗଢ଼ିଲେ, ସେ କି ଦେଖିବେ ନାହିଁ?
10 ଯେ ଗୋଷ୍ଠୀବର୍ଗକୁ ଶାସନ କରନ୍ତି, ଯେ ମନୁଷ୍ୟକୁ ଜ୍ଞାନ ଶିକ୍ଷା ଦିଅନ୍ତି, ସେ କି ଶାସ୍ତି ଦେବେ ନାହିଁ?
11 ମନୁଷ୍ୟର କଳ୍ପନାସବୁ ଅସାର ବୋଲି ସଦାପ୍ରଭୁ ଜାଣନ୍ତି।
12 ହେ ସଦାପ୍ରଭୋ, ଦୁଷ୍ଟ ନିମନ୍ତେ ଗର୍ତ୍ତ ଖୋଳା ହେବା ପର୍ଯ୍ୟନ୍ତ ବିପଦ କାଳରୁ ବିଶ୍ରାମ ଦେବା ନିମନ୍ତେ,
13 ତୁମ୍ଭେ ଯାହାକୁ ଶାସନ କର ଓ ଆପଣା ବ୍ୟବସ୍ଥାରୁ ଶିକ୍ଷା ଦିଅ, ସେ ଲୋକ ଧନ୍ୟ।
14 କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ, କିଅବା ଆପଣା ଅଧିକାର ପରିତ୍ୟାଗ କରିବେ ନାହିଁ।
15 ଯେହେତୁ ଶାସନ ଧର୍ମ ପକ୍ଷରେ ବାହୁଡ଼ିବ; ପୁଣି, ସରଳାନ୍ତଃକରଣ ଲୋକ ସମସ୍ତେ ତହିଁର ଅନୁଗାମୀ ହେବେ।
16 କିଏ ମୋହର ସପକ୍ଷ ହୋଇ କୁକର୍ମକାରୀମାନଙ୍କ ବିରୁଦ୍ଧରେ ଉଠିବ? କିଏ ମୋହର ସପକ୍ଷ ହୋଇ ଅଧର୍ମାଚାରୀମାନଙ୍କ ବିରୁଦ୍ଧରେ ଠିଆ ହେବ?
17 ସଦାପ୍ରଭୁ ମୋହର ସହାୟ ହୋଇ ନ ଥିଲେ ମୋହର ପ୍ରାଣ ଶୀଘ୍ର ନୀରବ ସ୍ଥାନରେ ବାସ କରିଥାʼନ୍ତା।
18 “ମୋହର ପାଦ ଖସି ଯାଉଛି” ବୋଲି କହିଲା ବେଳେ, ହେ ସଦାପ୍ରଭୋ, ତୁମ୍ଭର ଦୟା ମୋତେ ଧରି ରଖିଲା।
19 ମୋʼ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର ସାନ୍ତ୍ୱନାସବୁ ମୋʼ ପ୍ରାଣକୁ ଆହ୍ଲାଦିତ କରେ।
20 ବିଧାନ ଦ୍ୱାରା ଉପଦ୍ରବ-ରଚନାକାରୀ ଦୁଷ୍ଟତାରୂପ ସିଂହାସନର କି ତୁମ୍ଭ ସଙ୍ଗେ ସମ୍ବନ୍ଧତା ହେବ?
21 ସେମାନେ ଧାର୍ମିକର ପ୍ରାଣ ପ୍ରତିକୂଳରେ ଦଳବଦ୍ଧ ହୁଅନ୍ତି ଓ ନିର୍ଦ୍ଦୋଷ ରକ୍ତକୁ ଦୋଷୀ କରନ୍ତି।
22 ମାତ୍ର ସଦାପ୍ରଭୁ ମୋହର ଉଚ୍ଚ ଦୁର୍ଗ ଓ ମୋʼ ପରମେଶ୍ୱର ମୋହର ଆଶ୍ରୟ ଶୈଳ ହୋଇଅଛନ୍ତି।
23 ପୁଣି, ସେ ଦୁଷ୍ଟତା ଲୋକମାନଙ୍କ ଅଧର୍ମ ସେମାନଙ୍କ ଉପରେ ବର୍ତ୍ତାଇଅଛନ୍ତି, ଆଉ ସେମାନଙ୍କ ନିଜ ଦୁଷ୍ଟତାରେ ସେମାନଙ୍କୁ ଉଚ୍ଛିନ୍ନ କରିବେ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ଉଚ୍ଛିନ୍ନ କରିବେ।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0