ବାଇବଲ · Indian Revised Version (Odia)

ଗୀତସଂହିତା 81

1 ଆମ୍ଭମାନଙ୍କ ବଳ ସ୍ୱରୂପ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉଚ୍ଚସ୍ୱରରେ ଗାନ କର; ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।

2 ଗୀତ ଉଠାଅ ଓ ଦାରା, ନେବଲ ସହିତ ମନୋହର ବୀଣାଯନ୍ତ୍ର ଆଣ।

3 ଅମାବାସ୍ୟାରେ, ପୂର୍ଣ୍ଣିମାରେ, ଆମ୍ଭମାନଙ୍କ ମହୋତ୍ସବ ଦିନରେ ତୂରୀ ବଜାଅ।

4 କାରଣ ତାହା ଇସ୍ରାଏଲ ନିମନ୍ତେ ବିଧି ଓ ଯାକୁବର ପରମେଶ୍ୱରଙ୍କ ବିଧାନ ଅଟେ।

5 ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ; ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ।

6 “ଆମ୍ଭେ ତାହାର ସ୍କନ୍ଧ ଭାରରୁ ଘୁଞ୍ଚାଇ ଦେଲୁ; ତାହାର ହସ୍ତ ଟୋକାଇରୁ ମୁକ୍ତ ହେଲା।

7 ତୁମ୍ଭେ ସଙ୍କଟ ବେଳେ ଡାକିଲ, ତହୁଁ ଆମ୍ଭେ ତୁମ୍ଭକୁ ଉଦ୍ଧାର କଲୁ; ଆମ୍ଭେ ମେଘଗର୍ଜ୍ଜନର ଗୁପ୍ତ ସ୍ଥାନରେ ତୁମ୍ଭକୁ ଉତ୍ତର ଦେଲୁ; ଆମ୍ଭେ ମିରୀବାଃ ଜଳ ନିକଟରେ ତୁମ୍ଭକୁ ପରୀକ୍ଷା କଲୁ। [ସେଲା]

8 ହେ ଆମ୍ଭର ଲୋକ, ଶୁଣ, ଆମ୍ଭେ ତୁମ୍ଭ ନିକଟରେ ସାକ୍ଷ୍ୟ ଦେବା; ହେ ଇସ୍ରାଏଲ, ଯଦି ତୁମ୍ଭେ ଆମ୍ଭ କଥା ଶୁଣନ୍ତ!

9 ତୁମ୍ଭ ମଧ୍ୟରେ ଅନ୍ୟ କୌଣସି ଦେବତା ରହିବ ନାହିଁ; କିଅବା ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ।

10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲୁ; ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ କରିବା।

11 ମାତ୍ର ଆମ୍ଭ ଲୋକେ ଆମ୍ଭ ରବ ଶୁଣିଲେ ନାହିଁ ଓ ଇସ୍ରାଏଲ ଆମ୍ଭଙ୍କୁ ଚାହିଁଲା ନାହିଁ।

12 ତହିଁରେ ସେମାନେ ଯେପରି ଆପଣା ଆପଣା ମନ୍ତ୍ରଣାନୁସାରେ ଚାଲିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ହୃଦୟର କଠିନତାନୁସାରେ ଛାଡ଼ିଦେଲୁ।

13 ଆହା, ଯଦି ଆମ୍ଭ ଲୋକେ ଆମ୍ଭର କଥା ଶୁଣନ୍ତେ! ଯଦି ଇସ୍ରାଏଲ ଆମ୍ଭ ପଥରେ ଚାଲନ୍ତା!

14 ଆମ୍ଭେ ଶୀଘ୍ର ସେମାନଙ୍କ ଶତ୍ରୁଗଣକୁ ଦମନ କରନ୍ତୁ ଓ ସେମାନଙ୍କ ବିପକ୍ଷଗଣର ପ୍ରତିକୂଳରେ ଆପଣା ହସ୍ତ ଫେରାନ୍ତୁ।

15 ସଦାପ୍ରଭୁଙ୍କ ଘୃଣାକାରୀମାନେ ତାହାଙ୍କର ବଶତା ସ୍ୱୀକାର କରନ୍ତେ; ମାତ୍ର ସେମାନଙ୍କର ସମୟ ସଦାକାଳ ରହନ୍ତା।

16 ଆହୁରି, ସେ ଉତ୍ତମ ଗହମରେ ସେମାନଙ୍କୁ ପ୍ରତିପୋଷଣ କରନ୍ତେ ଓ ଆମ୍ଭେ ଶୈଳରୁ ମଧୁ ଦେଇ ତୁମ୍ଭକୁ ପରିତୃପ୍ତ କରନ୍ତୁ।”

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0