ବାଇବଲ · Indian Revised Version (Odia)

ଗୀତସଂହିତା 15

1 ହେ ସଦାପ୍ରଭୋ, ତୁମ୍ଭ ଆବାସରେ କିଏ ପ୍ରବାସ କରି ପାରିବ? ତୁମ୍ଭ ପବିତ୍ର ପର୍ବତରେ କିଏ ବାସ କରି ପାରିବ?

2 ଯେଉଁ ଜନ ସରଳାଚରଣ, ଧର୍ମକର୍ମ କରେ ଓ ଆପଣା ଅନ୍ତଃକରଣରେ ସତ୍ୟ କହେ।

3 ଯେ ଆପଣା ଜିହ୍ୱାରେ ଗ୍ଳାନି କରେ ନାହିଁ, ଅବା ଆପଣା ମିତ୍ରର ଅନିଷ୍ଟ କରେ ନାହିଁ, କିଅବା ଆପଣା ପ୍ରତିବାସୀ ବିରୁଦ୍ଧରେ ନିନ୍ଦା ପ୍ରକଟ କରେ ନାହିଁ।

4 ଯାହାର ଦୃଷ୍ଟିରେ ପାମର ତୁଚ୍ଛୀକୃତ ହୁଏ; ମାତ୍ର ଯେ ସଦାପ୍ରଭୁଙ୍କ ଭୟକାରୀମାନଙ୍କୁ ସମାଦର କରେ। ଯେ ଶପଥ କରି ଆପଣାର କ୍ଷତି ହେଲେ ହେଁ ତାହା ଅନ୍ୟଥା କରେ ନାହିଁ।

5 ଯେ ସୁଧ ପାଇଁ ଟଙ୍କା ଋଣ ଦିଏ ନାହିଁ, କିଅବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଏ ନାହିଁ। ଯେ ଏହି ସକଳ କର୍ମ କରେ, ସେ କେବେ ଘୁଞ୍ଚା ଯିବ ନାହିଁ।

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0