ବାଇବଲ · Indian Revised Version (Odia)
ଗଣନା ପୁସ୍ତକ 30
1 ଏଥିଉତ୍ତାରେ ମୋଶା ଇସ୍ରାଏଲ ସନ୍ତାନମାନଙ୍କ ବଂଶର ପ୍ରଧାନବର୍ଗଙ୍କୁ କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।
2 କୌଣସି ପୁରୁଷ ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ, କିଅବା ବ୍ରତ ଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କରେ, ତେବେ ସେ ଆପଣା ବାକ୍ୟ ଲଙ୍ଘନ କରିବ ନାହିଁ; ସେ ଆପଣା ମୁଖରୁ ନିର୍ଗତ ସମସ୍ତ (ବାକ୍ୟ) ଅନୁସାରେ ସାଧନ କରିବ।
3 ମଧ୍ୟ କୌଣସି ସ୍ତ୍ରୀ ଯଦି ଯୌବନାବସ୍ଥାରେ ଆପଣା ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ ଓ ବ୍ରତ ଦ୍ୱାରା ଆପଣାକୁ ଆବଦ୍ଧ କରେ,
4 ପୁଣି, ତାହାର ପିତା ଯଦି ତାହାର ମାନତ ଓ ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ପ୍ରତିଜ୍ଞାର କଥା ଶୁଣି ତାହାକୁ କିଛି ନ କହେ, ଯଦି ତାହାର ସକଳ ମାନତ ସ୍ଥିର ହେବ; ପୁଣି, ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ସେହି ବ୍ରତ ସ୍ଥିର ହେବ।
5 ମାତ୍ର ତାହାର ପିତା ଯଦି ଶୁଣିବା ଦିନ ତାହାକୁ ନିଷେଧ କରେ, ତେବେ ତାହାର ମାନତ ଓ ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ ନାହିଁ; ପୁଣି, ତାହାର ପିତା ନିଷେଧ କରିବା ସକାଶୁ ସଦାପ୍ରଭୁ ତାହାକୁ କ୍ଷମା କରିବେ।
6 ଆଉ ଯଦି ସେ ଆପଣା ମାନତର ଅବା ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟର ଅଧୀନା ଥାଉ ଥାଉ କୌଣସି ସ୍ୱାମୀକୁ ବିବାହ କରେ;
7 ପୁଣି, ତାହାର ସ୍ୱାମୀ ତାହା ଶୁଣେ ଓ ସେ ତାହା ଶୁଣିବା ଦିନ ତୁନି ହୋଇ ରହେ; ତେବେ ତାହାର ମାନତ ସ୍ଥିର ହେବ ଓ ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ।
8 ମାତ୍ର ତାହାର ସ୍ୱାମୀ ତାହା ଶୁଣିବା ଦିନ ଯଦି ତାହାକୁ ନିଷେଧ କରେ, ତେବେ ସେ ତାହାର ମାନତ ଓ ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟ ବ୍ୟର୍ଥ କରିବ। ତହିଁରେ ସଦାପ୍ରଭୁ ତାହାକୁ କ୍ଷମା କରିବେ।
9 ମାତ୍ର ବିଧବା କିମ୍ବା ସ୍ୱାମୀତ୍ୟକ୍ତା ସ୍ତ୍ରୀର ମାନତ ଓ ଯେକୌଣସି ବିଷୟରେ ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି; ସେହି ସବୁ ତାହା ନିମନ୍ତେ ସ୍ଥିର ହେବ।
10 ଆଉ ସେ ଯଦି ସ୍ୱାମୀର ଗୃହରେ ମାନତ କରିଥାଏ, ଅବା ଶପଥପୂର୍ବକ ବ୍ରତ ଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କରିଥାଏ,
11 ପୁଣି, ତାହାର ସ୍ୱାମୀ ତାହା ଶୁଣି ତାହା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତାହାର ସମସ୍ତ ମାନତ ସ୍ଥିର ହେବ; ପୁଣି, ସେ ଯେଉଁସବୁ ପ୍ରତିଜ୍ଞା ଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାସବୁ ସ୍ଥିର ହେବ।
12 ମାତ୍ର ତାହାର ସ୍ୱାମୀ ଯଦି ଶୁଣିବା ଦିନ ତାହାସବୁ ରହିତ ଓ ବ୍ୟର୍ଥ କରେ, ତେବେ ତାହାର ମାନତ ବିଷୟରେ ଓ ତାହାର ପ୍ରାଣର ବନ୍ଧନ ବିଷୟରେ ଯେସବୁ କଥା ତାହାର ମୁଖରୁ ନିର୍ଗତ ହୋଇଥିଲା, ସେସବୁ ସ୍ଥିର ହେବ ନାହିଁ; ତାହାର ସ୍ୱାମୀ ସେସବୁ ବ୍ୟର୍ଥ କଲା, ଏଣୁ ସଦାପ୍ରଭୁ ତାହାକୁ କ୍ଷମା କରିବେ।
13 ତାହାର ସ୍ୱାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରିପାରେ, ଅବା ତାହାର ସ୍ୱାମୀ ବ୍ୟର୍ଥ କରିପାରେ।
14 ମାତ୍ର ତାହାର ସ୍ୱାମୀ ଯଦି ଦିନକୁ ଦିନ ତାହା ପ୍ରତି ସର୍ବତୋଭାବେ ତୁନି ହୋଇ ରହେ, ତେବେ ସେ ତାହାର ସମସ୍ତ ମାନତ ଅବା ତାହାର ସମସ୍ତ ପ୍ରତିଜ୍ଞା ସ୍ଥିର କରେ। ସେ ତାହା ଶୁଣିବା ଦିନ ତୁନି ହୋଇ ରହିବାରୁ ତାହା ସ୍ଥିର କଲା।
15 ମାତ୍ର ତାହା ଶୁଣିଲା ଉତ୍ତାରେ ଯଦି ସେ ତାହା ରହିତ ଓ ବ୍ୟର୍ଥ କରେ, ତେବେ ସେ ସ୍ତ୍ରୀର ଅପରାଧ ବୋହିବ।”
16 ପୁରୁଷ ଓ ତାହାର ଭାର୍ଯ୍ୟା ବିଷୟରେ, ପିତା ଓ ପିତୃଗୃହସ୍ଥିତା ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୋଶାଙ୍କୁ ଏହି ସମସ୍ତ ଆଜ୍ଞା ଦେଲେ।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0