ବାଇବଲ · Indian Revised Version (Odia)
ଯିଶାଇୟ 9
1 ମାତ୍ର ପୂର୍ବେ (ଯେଉଁ ଦେଶ) ବେଦନାଗ୍ରସ୍ତ ଥିଲା, ତାହା ଅନ୍ଧକାର ହୋଇ ରହିବ ନାହିଁ। ପୂର୍ବକାଳରେ ସେ ସବୂଲୂନ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ, ଯର୍ଦ୍ଦନର ସେପାରିସ୍ଥ, ଗୋଷ୍ଠୀଗଣର ଗାଲିଲୀକୁ ସମ୍ଭ୍ରାନ୍ତ କରିବେ।
2 ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ ମହା ଆଲୁଅ ଦେଖିଅଛନ୍ତି; ଯେଉଁମାନେ ମୃତ୍ୟୁୁଚ୍ଛାୟାରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି।
3 ତୁମ୍ଭେ ସେହି ଦେଶୀୟ ଲୋକଙ୍କୁ ବହୁସଂଖ୍ୟକ କରି ସେମାନଙ୍କର ଆନନ୍ଦ ବୃଦ୍ଧି କରିଅଛ; ସେମାନେ ଶସ୍ୟ ଛେଦନର ଆନନ୍ଦ ପ୍ରାୟ ଆନନ୍ଦ କରନ୍ତି, ଲୁଟିତ ବିଭାଗ କରିବା ସମୟର ତୁଲ୍ୟ ଉଲ୍ଲାସିତ ହୁଅନ୍ତି,
4 କାରଣ ମିଦୀୟନର ଦିନରେ ଯେପରି, ସେହିପରି ତୁମ୍ଭେ ତାହାର ଭାର ସ୍ୱରୂପ ଯୁଆଳି ଓ ତାହାର ସ୍କନ୍ଧସ୍ଥିତ ବାହୁଙ୍ଗି, ତାହାର ଉପଦ୍ରବକାରୀର ଦଣ୍ଡ ଭାଙ୍ଗି ପକାଇଅଛ।
5 ଏହେତୁ କଳହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ରସବୁ ଜ୍ୱଳନୀୟ ଦ୍ରବ୍ୟ, ଅଗ୍ନି ପାଇଁ କାଷ୍ଠ ସ୍ୱରୂପ ହେବ।
6 କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।
7 ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ।
8 ଯାକୁବ ମଧ୍ୟକୁ ପ୍ରଭୁ ଏକ ବାକ୍ୟ ପ୍ରେରଣ କଲେ ଓ ତାହା ଇସ୍ରାଏଲ ଉପରେ ପଡ଼ିଅଛି,
9 ପୁଣି ସମସ୍ତ ଲୋକ, ଇଫ୍ରୟିମ ଓ ଶମରୀୟାର ନିବାସୀମାନେ ହିଁ ତାହା ଜାଣିବେ; ସେମାନେ ଅହଙ୍କାରରେ ଓ ଦର୍ପଚିତ୍ତରେ କହନ୍ତି,
10 “ଇଟାସବୁ ପଡ଼ି ଯାଇଅଛି ନିଶ୍ଚୟ, ମାତ୍ର ଆମ୍ଭେମାନେ କଟା ପ୍ରସ୍ତରରେ ନିର୍ମାଣ କରିବା; ଡିମ୍ବିରି ବୃକ୍ଷସବୁ ହଣା ହୋଇଅଛି ନିଶ୍ଚୟ, ମାତ୍ର ଆମ୍ଭେମାନେ ତହିଁ ପରିବର୍ତ୍ତରେ ଏରସ ବୃକ୍ଷ ବଢ଼ାଇବା।”
11 ଏହେତୁ ସଦାପ୍ରଭୁ ତାହାର ପ୍ରତିକୂଳରେ ରତ୍ସୀନର ବିପକ୍ଷଗଣକୁ ଉନ୍ନତ କରିବେ ଓ ତାହାର ଶତ୍ରୁଗଣକୁ ଉତ୍ତେଜିତ କରିବେ;
12 ସମ୍ମୁଖରେ ଅରାମୀୟମାନେ ଓ ପଶ୍ଚାତରେ ପଲେଷ୍ଟୀୟମାନେ ହେବେ; ଆଉ, ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
13 ତଥାପି ଲୋକମାନଙ୍କୁ ଯେ ପ୍ରହାର କରିଅଛନ୍ତି, ତାହାଙ୍କ ନିକଟକୁ ସେମାନେ ଫେରି ନାହାନ୍ତି, କିଅବା ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି।
14 ଏହେତୁ ସଦାପ୍ରଭୁ ଇସ୍ରାଏଲର ମସ୍ତକ ଓ ଲାଙ୍ଗୁଳ, ତାଳବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନରେ କାଟି ପକାଇବେ।
15 ପ୍ରାଚୀନ ଓ ସମ୍ଭ୍ରାନ୍ତ ଲୋକ ସେହି ମସ୍ତକ, ପୁଣି, ମିଥ୍ୟା ଶିକ୍ଷାଦାୟୀ ଭବିଷ୍ୟଦ୍ବକ୍ତା ଲାଙ୍ଗୁଳ,
16 କାରଣ ଏହି ଲୋକମାନଙ୍କର ପଥପ୍ରଦର୍ଶକମାନେ ସେମାନଙ୍କୁ ଭ୍ରାନ୍ତ କରାନ୍ତି, ପୁଣି, ଯେଉଁମାନେ ସେମାନଙ୍କ ଦ୍ୱାରା ପଥ କଢ଼ାଯାʼନ୍ତି, ସେମାନେ ବିନଷ୍ଟ ହୁଅନ୍ତି।
17 ଏଣୁ ସଦାପ୍ରଭୁ ସେମାନଙ୍କ ଯୁବକମାନଙ୍କଠାରେ ଆନନ୍ଦ କରିବେ ନାହିଁ, କିଅବା ସେମାନଙ୍କର ପିତୃହୀନ ବାଳକ ଓ ବିଧବାଗଣ ପ୍ରତି ଦୟା କରିବେ ନାହିଁ; ଯେହେତୁ ପ୍ରତ୍ୟେକ ଲୋକ ଧର୍ମହୀନ ଓ ଦୁରାଚାରୀ ଓ ପ୍ରତ୍ୟେକ ମୁଖ ମିଥ୍ୟାବାଦୀ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
18 ଯେହେତୁ ଦୁଷ୍ଟତା ଅଗ୍ନି ପରି ଜ୍ୱଳେ; ତାହା କାନକୋଳି ଓ କଣ୍ଟକ ବୃକ୍ଷ ଗ୍ରାସ କରେ; ଆହୁରି, ତାହା ବନର ନିବିଡ଼ ସ୍ଥାନରେ ଜ୍ୱଳି ଘନ ମେଘ ତୁଲ୍ୟ ଧୂମ ହୋଇ ଉପରକୁ ଉଠେ।
19 ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଦେଶ ଦଗ୍ଧ ହୋଇଅଛି; ମଧ୍ୟ ଲୋକମାନେ ଅଗ୍ନି ପାଇଁ କାଷ୍ଠ ତୁଲ୍ୟ ଅଟନ୍ତି; କେହି ଆପଣା ଭ୍ରାତାକୁ ଦୟା କରେ ନାହିଁ।
20 ତହିଁରେ ଲୋକେ ଦକ୍ଷିଣ ହସ୍ତରେ ଛଡ଼ାଇବେ, ପୁଣି, କ୍ଷୁଧିତ ହେବେ; ପୁଣି, ବାମ ହସ୍ତରେ ଭୋଜନ କରିବେ ଓ ତୃପ୍ତ ହେବେ ନାହିଁ; ସେମାନେ ପ୍ରତ୍ୟେକେ ଆପଣା ଆପଣା ବାହୁର ମାଂସ ଭୋଜନ କରିବେ;
21 ମନଃଶି ଇଫ୍ରୟିମର ଓ ଇଫ୍ରୟିମ ମନଃଶିର ପ୍ରତିକୂଳ ହେବେ, ପୁଣି, ସେମାନେ ଏକତ୍ର ହୋଇ ଯିହୁଦାର ପ୍ରତିକୂଳ ହେବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0