ବାଇବଲ · Indian Revised Version (Odia)

ଏବ୍ରୀ 1

1 ଈଶ୍ବର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି,

2 ଏହି ଶେଷକାଳରେ ତାହାଙ୍କ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ;

3 ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି,

4 ସେ ଯେଉଁ ପରିମାଣରେ ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି।

5 କାରଣ ଈଶ୍ବର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?”

6 ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, “ଈଶ୍ବରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ।”

7 ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, “ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି,”

8 ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, “ହେ ଈଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ।”

9 “ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ବର, ତୁମ୍ଭର ଈଶ୍ବର, ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା, ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷେକ କରିଅଛନ୍ତି।”

10 ଆହୁରି, “ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି, ଆକାଶମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ।”

11 “ସେହି ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ଚିରସ୍ଥାୟୀ; ଆଉ ସେହିସବୁ ବସ୍ତ୍ର ପରି କ୍ଷୟ ପାଇଯିବ,”

12 “ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହିସବୁ ଗୁଡ଼ାଇବ, ଆଉ ସେହିସବୁ ପରିବର୍ତ୍ତିତ ହେବ। କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭର ବର୍ଷସମୂହ କେବେ ଶେଷ ହେବ ନାହିଁ।”

13 ଆଉ “ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ, ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ,” ଏହା ସେ ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିଅଛନ୍ତି?

14 ଏମାନେ ସମସ୍ତେ କଅଣ ସେବାକାରୀ ଆତ୍ମା ନୁହଁନ୍ତି, ପୁଣି, ପରିତ୍ରାଣର ଭାବି ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାନ୍ତି?

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0