ବାଇବଲ · Indian Revised Version (Odia)
ହବକ୍କୂକ 2
1 ମୁଁ ଆପଣା ପ୍ରହରୀ ସ୍ଥାନରେ ଠିଆ ହେବି ଓ ଦୁର୍ଗର ଉପରେ ରହିବି, ଆଉ ସେ ମୋʼ ଗୁହାରି ବିଷୟରେ ମୋତେ କି କଥା କହିବେ ଓ ମୁଁ କି ଉତ୍ତର ଦେବି, ଏହା ନିରୀକ୍ଷଣ କରି ବୁଝିବି।
2 ଏଥିଉତ୍ତାରେ ସଦାପ୍ରଭୁ ମୋତେ ଉତ୍ତର ଦେଇ କହିଲେ, “ଏହି ଦର୍ଶନର କଥା ଲେଖ ଓ ଯେ ପାଠ କରେ, ସେ ଯେପରି ଦୌଡ଼ି ପାରିବ, ଏଥିପାଇଁ ପଟାରେ ସୁସ୍ପଷ୍ଟ କରି ଖୋଳ।
3 କାରଣ ଏହି ଦର୍ଶନ ଏବେ ହେଁ ନିରୂପିତ କାଳର ଅପେକ୍ଷା ଓ ପରିଣାମର ଆକାଂକ୍ଷା କରେ ଓ ତାହା ମିଥ୍ୟା ହେବ ନାହିଁ; ତାହା ବିଳମ୍ବ ହେଲେ ହେଁ ତହିଁ ପାଇଁ ଅପେକ୍ଷା କର; କାରଣ ତାହା ଅବଶ୍ୟ ଘଟିବ, ବିଳମ୍ବ ହେବ ନାହିଁ।
4 ଦେଖ, ତାହାର ପ୍ରାଣ ଗର୍ବରେ ଫୁଲିଅଛି, ତାହା ସରଳ ନୁହେଁ; ମାତ୍ର ଧାର୍ମିକ ଲୋକ ଆପଣା ବିଶ୍ୱାସ ଦ୍ୱାରା ବଞ୍ଚିବ।
5 ଆହୁରି, ଧନ ବିଶ୍ୱାସଘାତକ ବଣିକ, ଅହଙ୍କାରୀ ଲୋକ, ଆଉ ସେ ଘରେ ରହେ ନାହିଁ, ସେ ପାତାଳର ପରି ଆପଣା ବାଞ୍ଛା ବଢ଼ାଏ ଓ ସେ ମୃତ୍ୟୁୁ ସଦୃଶ, ଆଉ ସେ ତୃପ୍ତ ହୋଇ ନ ପାରେ, ମାତ୍ର ସେ ଆପଣା ନିକଟରେ ଯାବତୀୟ ଗୋଷ୍ଠୀ ଏକତ୍ର କରଇ ଓ ଯାବତୀୟ ଜନବୃନ୍ଦକୁ ଆପଣା ନିକଟରେ ସଂଗ୍ରହ କରେ।”
6 ସେମାନେ ସମସ୍ତେ କି ତାହା ବିରୁଦ୍ଧରେ ଉପମା-କଥା ଓ ପରିହାସଜନକ ପ୍ରବାଦ ଧରି କହିବେ ନାହିଁ? ଯଥା, “ପର ଧନରେ ଯେ ଆପଣାକୁ ବର୍ଦ୍ଧିଷ୍ଣୁ କରେ, ସେ ସନ୍ତାପର ପାତ୍ର! କେତେ କାଳ? ବନ୍ଧକି ଦ୍ରବ୍ୟରେ ଯେ ଆପଣାକୁ ଭାରଗ୍ରସ୍ତ କରେ, ସେ ସନ୍ତାପର ପାତ୍ର!”
7 ଯେଉଁମାନେ ତୁମ୍ଭକୁ ଦଂଶନ କରିବେ, ସେମାନେ କି ହଠାତ୍ ଉଠିବେ ନାହିଁ? ଯେଉଁମାନେ ତୁମ୍ଭକୁ ବିରକ୍ତ କରିବେ, ସେମାନେ କି ଜାଗ୍ରତ ହେବେ ନାହିଁ? ଓ ତୁମ୍ଭେ କି ସେମାନଙ୍କ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ ନାହିଁ?
8 ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଲୁଟିଅଛ, ଏଥିପାଇଁ ମନୁଷ୍ୟମାନଙ୍କର ରକ୍ତପାତ, ଆଉ ଦେଶ, ନଗର ଓ ତନ୍ନିବାସୀ ସମସ୍ତଙ୍କ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ଜନବୃନ୍ଦର ସମସ୍ତ ଶେଷାଂଶ ତୁମ୍ଭକୁ ଲୁଟିବେ।
9 ଯେଉଁ ଜନ ଉଚ୍ଚରେ ଆପଣା ବସା କରିବା ପାଇଁ, ବିପଦର ହସ୍ତରୁ ଉଦ୍ଧାର କରିବା ପାଇଁ ଆପଣା ବଂଶ ନିମନ୍ତେ କୁଲାଭ ଉପାର୍ଜ୍ଜନ କରେ, ସେ ସନ୍ତାପର ପାତ୍ର!
10 ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଉଚ୍ଛିନ୍ନ କରିବା ଦ୍ୱାରା ଆପଣା ବଂଶର ଲଜ୍ଜାଜନକ ମନ୍ତ୍ରଣା କରିଅଛ ଓ ଆପଣା ପ୍ରାଣ ବିରୁଦ୍ଧରେ ପାପ କରିଅଛ।
11 କାରଣ କାନ୍ଥ ଭିତରୁ ପଥର ଡାକ ପକାଇବ ଓ କାଠ ମଧ୍ୟରୁ କଡ଼ିକାଠ ତହିଁର ଉତ୍ତର ଦେବ।
12 ଯେଉଁ ଜନ ରକ୍ତପାତ ଦ୍ୱାରା ନଗର ନିର୍ମାଣ କରେ ଓ ଅଧର୍ମ ଦ୍ୱାରା ନଗର ସ୍ଥାପନ କରେ, ସେ ସନ୍ତାପର ପାତ୍ର!
13 ଦେଖ, ଜନବୃନ୍ଦ ଅଗ୍ନିର ନିମନ୍ତେ ପରିଶ୍ରମ କରନ୍ତି ଓ ଗୋଷ୍ଠୀଗଣ ଅସାରତାର ନିମନ୍ତେ ଆପଣାମାନଙ୍କୁ କ୍ଳାନ୍ତ କରନ୍ତି, ଏହା କି ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ହୁଏ ନାହିଁ?
14 କାରଣ ଜଳରାଶି ଯେପରି ସମୁଦ୍ରକୁ ଆବୃତ କରେ, ସେହିପରି ସଦାପ୍ରଭୁଙ୍କ ମହିମା ବିଷୟକ ଜ୍ଞାନରେ ପୃଥିବୀ ପରିପୂର୍ଣ୍ଣ ହେବ।
15 ଯେଉଁ ଜନ ଆପଣା ପ୍ରତିବାସୀର ଉଲଙ୍ଗତା ଦେଖିବା ନିମନ୍ତେ ତାହାକୁ ପାନ କରିବାକୁ ଦିଏ, ତହିଁ ସଙ୍ଗେ ଆପଣାର ବିଷ ମିଶାଇ ତାହାକୁ ମତ୍ତ କରେ, ସେ ସନ୍ତାପର ପାତ୍ର!
16 ତୁମ୍ଭେ ଗୌରବ ବଦଳରେ ଅପମାନରେ ପରିପୂର୍ଣ୍ଣ ହୋଇଅଛ। ତୁମ୍ଭେ ମଧ୍ୟ ପାନ କରି ଅସୁନ୍ନତର ନ୍ୟାୟ ହୁଅ! ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାନପାତ୍ର ତୁମ୍ଭଆଡ଼େ ଫେରାଯିବ ଓ ତୁମ୍ଭ ଗୌରବର ଉପରେ ଘୃଣାଜନକ ଲଜ୍ଜା ବର୍ତ୍ତିବ।
17 କାରଣ ମନୁଷ୍ୟମାନଙ୍କର ରକ୍ତପାତ ଓ ଦେଶ ପ୍ରତି, ନଗର ପ୍ରତି ଓ ତନ୍ନିବାସୀ ସମସ୍ତଙ୍କ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ଲିବାନୋନର ପ୍ରତି କୃତ ଦୌରାତ୍ମ୍ୟ ଓ ପଶୁଗଣର ତ୍ରାସଜନକ ସଂହାର ତୁମ୍ଭକୁ ଆଚ୍ଛନ୍ନ କରିବ।
18 ଖୋଦିତ ପ୍ରତିମାରେ କି ଲାଭ ଯେ, ତହିଁର ନିର୍ମାଣକର୍ତ୍ତା ତାହା ଖୋଦନ କରେ? ଛାଞ୍ଚରେ ଢଳା ପ୍ରତିମାରେ ଓ ମିଥ୍ୟା ଶିକ୍ଷକରେ କି ଲାଭ ଯେ, ଆପଣାର ନିର୍ମିତ ବସ୍ତୁର ନିର୍ମାଣକାରୀ ତହିଁରେ ବିଶ୍ୱାସ କରି ମୂକ ଦେବତା ନିର୍ମାଣ କରେ?
19 ଯେଉଁ ଜନ କାଷ୍ଠକୁ କହେ, ଜାଗ୍ରତ ହୁଅ; ମୂକ ପ୍ରସ୍ତରକୁ କହେ ଉଠ, ସେ ସନ୍ତାପର ପାତ୍ର! ସେ କି ଶିକ୍ଷା ଦେବ? ଦେଖ, ତାହା ସୁନା ଓ ରୂପାରେ ମଣ୍ଡିତ, ତହିଁ ମଧ୍ୟରେ କିଛି ହିଁ ଶ୍ୱାସବାୟୁ ନାହିଁ।
20 ମାତ୍ର ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି; ସମୁଦାୟ ପୃଥିବୀ ତାହାଙ୍କ ଛାମୁରେ ନୀରବ ହୋଇ ରହନ୍ତୁ।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0