ବାଇବଲ · Indian Revised Version (Odia)

ଆଦି ପୁସ୍ତକ 7

1 ଏଥିଉତ୍ତାରେ ସଦାପ୍ରଭୁ ନୋହଙ୍କୁ କହିଲେ, “ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର; କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ।

2 ଆଉ ପୃଥିବୀରେ ବଂଶ ରକ୍ଷା କରିବା ପାଇଁ ପ୍ରତ୍ୟେକ ଶୁଚି ପଶୁଜାତିର ସାତ ସାତ ଦମ୍ପତି ଓ ପ୍ରତ୍ୟେକ ଅଶୁଚି ପଶୁଜାତିର ଏକ ଏକ ଦମ୍ପତି;

3 ପ୍ରତ୍ୟେକ ଖେଚର ପକ୍ଷୀଜାତିର ସାତ ସାତ ଦମ୍ପତି ଆପଣା ସଙ୍ଗରେ ନିଅ।

4 ଯେହେତୁ ସାତ ଦିନ ଉତ୍ତାରେ ଆମ୍ଭେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀସ୍ଥିତ ଆମ୍ଭର ନିର୍ମିତ ସମସ୍ତ ପ୍ରାଣୀକୁ ଲୁପ୍ତ କରିବା।”

5 ନୋହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ।

6 ନୋହଙ୍କର ଛଅ ଶହ ବର୍ଷ ବୟସରେ ପୃଥିବୀ ଉପରେ ଜଳପ୍ଳାବନ ହେଲା।

7 ତହୁଁ ଜଳପ୍ଳାବନରୁ ରକ୍ଷା ପାଇବା ନିମନ୍ତେ ନୋହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ।

8 ପୁଣି, ନୋହଙ୍କ ପ୍ରତି ପରମେଶ୍ୱରଙ୍କ ଆଜ୍ଞାନୁସାରେ ଶୁଚି ଓ ଅଶୁଚି ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ଯୋଡ଼ା ଯୋଡ଼ା ହୋଇ

9 ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।

10 ଆଉ ସେହି ସାତ ଦିନ ଉତ୍ତାରେ ପୃଥିବୀରେ ଜଳପ୍ଳାବନର ଆରମ୍ଭ ହେଲା।

11 ନୋହଙ୍କର ବୟସର ଛଅ ଶହ ବର୍ଷ ଦ୍ୱିତୀୟ ମାସର ସପ୍ତଦଶ ଦିନରେ ମହାସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି, ଆକାଶସ୍ଥ ଦ୍ୱାରସବୁ ମୁକ୍ତ ହେଲା।

12 ତହିଁରେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା।

13 ସେହି ଦିନରେ ନୋହ, ପୁଣି, ଶେମ ଓ ହାମ ଓ ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନେ, ଆଉ ସେମାନଙ୍କ ସହିତ ନୋହଙ୍କର ଭାର୍ଯ୍ୟା ଓ ତିନି ପୁତ୍ରବଧୂ ଜାହାଜରେ ପ୍ରବେଶ କଲେ।

14 ପୁଣି, ସବୁ ଜାତୀୟ ଗ୍ରାମ୍ୟ ଓ ବନ୍ୟ ପଶୁ ଓ ସବୁ ଜାତୀୟ ଉରୋଗାମୀ ଓ ସବୁ ଜାତୀୟ ଭୂଚର ଓ ଖେଚର ପକ୍ଷୀ;

15 ଅର୍ଥାତ୍‍, ପ୍ରାଣବାୟୁ ବିଶିଷ୍ଟ ସର୍ବପ୍ରକାର ଜୀବଜନ୍ତୁ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।

16 ପରମେଶ୍ୱରଙ୍କ ଆଜ୍ଞାନୁସାରେ ସର୍ବପ୍ରକାର ପ୍ରାଣୀ ଦମ୍ପତିକ୍ରମେ ପ୍ରବେଶ କଲେ; ତହୁଁ ସଦାପ୍ରଭୁ ତାହାର ପାର୍ଶ୍ୱ-ଦ୍ୱାର ବନ୍ଦ କଲେ।

17 ଏଥିଉତ୍ତାରେ ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଳାବନ ହେଲା; ପୁଣି, ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକୁ ଛାଡ଼ି ଭାସି ଉଠିଲା।

18 ଆଉ ପୃଥିବୀରେ କ୍ରମଶଃ ଜଳ ପ୍ରବଳ ହୋଇ ଅତିଶୟ ବଢ଼ୁ ବଢ଼ୁ ଜାହାଜ ଜଳ ଉପରେ ଭାସିଲା।

19 ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା।

20 ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ।

21 ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍‍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟ ପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ,

22 ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ।

23 ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍‍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ।

24 ଏହିରୂପେ ପୃଥିବୀ ଏକ ଶହ ପଚାଶ ଦିନ ପର୍ଯ୍ୟନ୍ତ ଜଳରେ ବୁଡ଼ି ରହିଲା।

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0