ବାଇବଲ · Indian Revised Version (Odia)
ଆଦି ପୁସ୍ତକ 49
1 ଏଥିଉତ୍ତାରେ ଯାକୁବ ଆପଣା ପୁତ୍ରମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏକତ୍ର ହୁଅ; ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭମାନଙ୍କୁ କହୁଅଛି।
2 ହେ ଯାକୁବର ପୁତ୍ରଗଣ, ଏକତ୍ର ହୋଇ ଶୁଣ ଓ ତୁମ୍ଭମାନଙ୍କ ପିତା ଇସ୍ରାଏଲର ବାକ୍ୟ ଶୁଣ।
3 ହେ ରୁବେନ୍, ତୁମ୍ଭେ ମୋହର ପ୍ରଥମଜାତ (ପୁତ୍ର), ମୋହର ବଳ ଓ ମୋʼ ଶକ୍ତିର ପ୍ରଥମ ଫଳ; ପୁଣି, ମହିମାରେ ପ୍ରଧାନ ଓ ପରାକ୍ରମରେ ପ୍ରଧାନ।
4 ତୁମ୍ଭେ ଉଚ୍ଛଳିତ ଜଳ ତୁଲ୍ୟ, ତୁମ୍ଭର ପ୍ରଧାନତା ରହିବ ନାହିଁ; କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ; ତେବେ ତାହା ଅଶୁଚି କଲ; ସେ ମୋହର ଶଯ୍ୟାକୁ ଗଲା।
5 ଶିମୀୟୋନ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ୍ଗ ଦୌରାତ୍ମ୍ୟର ଅସ୍ତ୍ର।
6 ହେ ମୋହର ପ୍ରାଣ, ସେମାନଙ୍କ ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ; ହେ ମୋହର ଗୌରବ, ତୁମ୍ଭେ ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ; କାରଣ ସେମାନେ କ୍ରୋଧରେ ନରହତ୍ୟା କଲେ ଓ ସ୍ୱେଚ୍ଛାଚାରିତାରେ ବଳଦଗୁଡ଼ିକର ଲାଙ୍ଗୁଡ଼ କାଟିଲେ।
7 ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ, କାରଣ ତାହା ପ୍ରଚଣ୍ଡ ଥିଲା; ସେମାନଙ୍କ କୋପ ଅଭିଶପ୍ତ ହେଉ, କାରଣ ତାହା ନିଷ୍ଠୁର ଥିଲା; ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି ଓ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି।
8 ହେ ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଶଂସା କରିବେ; ତୁମ୍ଭର ହସ୍ତ ତୁମ୍ଭ ଶତ୍ରୁଗଣର ଗଳା ଉପରେ ରହିବ; ତୁମ୍ଭର ପିତୃସନ୍ତାନମାନେ ତୁମ୍ଭକୁ ପ୍ରଣାମ କରିବେ।
9 ଯିହୁଦା ସିଂହଶାବକ; ହେ ପୁତ୍ର, ତୁମ୍ଭେ ମୃଗ ବିଦାରଣରୁ ଉଠି ଆସିଲ; ସେ ନଇଁ ପଡ଼ିଲା, ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା, କିଏ ତାହାକୁ ଉଠାଇବ?
10 ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।
11 ସେ ଦ୍ରାକ୍ଷାଲତା ନିକଟରେ ଆପଣା ବାଛରାକୁ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗର୍ଦ୍ଦଭ ଶାବକକୁ ବାନ୍ଧିବ; ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଦ୍ରାକ୍ଷାରସରେ ଆପଣା ପରିଧେୟ ବସ୍ତ୍ର ଧୋଇବ।
12 ତାହାର ଚକ୍ଷୁ ଦ୍ରାକ୍ଷାରସରେ ରକ୍ତବର୍ଣ୍ଣ ହେବ, ଦୁଗ୍ଧରେ ତାହାର ଦନ୍ତ ଶ୍ୱେତବର୍ଣ୍ଣ ହେବ।
13 ସବୂଲୂନ ସମୁଦ୍ର ବନ୍ଦରରେ ବାସ କରିବ ଓ ସେ ଜାହାଜର ଆଶ୍ରିତ ବନ୍ଦର ହେବ; ପୁଣି, ସୀଦୋନ ପର୍ଯ୍ୟନ୍ତ ତାହାର ଅଧିକାରର ସୀମା ହେବ।
14 ଇଷାଖର ବଳବାନ ଗର୍ଦ୍ଦଭ ସଦୃଶ, ସେ ମେଷ ଖୁଆଡ଼ ମଧ୍ୟରେ ଶୟନ କରେ;
15 ସେ ବିଶ୍ରାମ-ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ୟ ଦେଖିଲା; ଏଣୁ ସେ ଭାର ବହିବା ପାଇଁ ସ୍କନ୍ଧ ନତ କଲା, ବେଠିକର୍ମ କରିବାକୁ ଦାସ ହେଲା।
16 ଦାନ୍ ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ ଆପଣା ଲୋକମାନଙ୍କର ବିଚାର କରିବ।
17 ଦାନ୍ ପଥସ୍ଥିତ ସର୍ପ ତୁଲ୍ୟ ଓ ମାର୍ଗସ୍ଥିତ ଫଣି ତୁଲ୍ୟ; ଯେ ଘୋଟକର ପାଦ ଦଂଶନ କଲେ ତଦାରୂଢ଼ ବ୍ୟକ୍ତି ପଶ୍ଚାତ୍ ପଡ଼ିଯାଏ।
18 ହେ ସଦାପ୍ରଭୋ, ମୁଁ ତୁମ୍ଭ ପରିତ୍ରାଣର ଅପେକ୍ଷାରେ ଅଛି।
19 ସୈନ୍ୟଦଳ ଗାଦ୍କୁ ଆକ୍ରମଣ କରିବେ; ମାତ୍ର ସେ ପଶ୍ଚାତ୍ ସେମାନଙ୍କୁ ଆକ୍ରମଣ କରିବ।
20 ଆଶେରଠାରୁ ଅତ୍ୟୁତ୍ତମ ଖାଦ୍ୟ ଉତ୍ପନ୍ନ ହେବ; ସେ ରାଜକୀୟ ଭକ୍ଷ୍ୟ ଯୋଗାଇବ।
21 ନପ୍ତାଲି ଦୀର୍ଘାଙ୍ଗୀ ହରିଣୀ ସ୍ୱରୂପ, ସେ ମନୋହର ବାକ୍ୟ କହିବ।
22 ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ, ସେ ନିର୍ଝର ନିକଟସ୍ଥ ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ; ତାହାର ଶାଖା ସକଳ ପ୍ରାଚୀର ଅତିକ୍ରମ କରେ।
23 ଧନୁର୍ଦ୍ଧରମାନେ ତାହାକୁ ଅତିଶୟ କ୍ଳେଶ ଦେଇଅଛନ୍ତି, ପୁଣି, ତାକୁ ତୀର ବିନ୍ଧି ତାଡ଼ନା କରିଅଛନ୍ତି,
24 ମାତ୍ର ତାହାର ଧନୁ ଦୃଢ଼ ହୋଇ ରହିଲା, ପୁଣି, ଯେ ଯାକୁବର ବଳଦାତା (ତହିଁ ସକାଶୁ ଇସ୍ରାଏଲର ପାଳକ ଓ ଶୈଳ ବୋଲି ବିଖ୍ୟାତ),
25 ଅର୍ଥାତ୍, ପୈତୃକ ପରମେଶ୍ୱର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ, ତାହାଙ୍କ ଦ୍ୱାରା ତାହାର ହସ୍ତର ବାହୁ ବଳବାନ ହେଲା।
26 ମୋହର ପୂର୍ବପୁରୁଷମାନଙ୍କ ଆଶୀର୍ବାଦଠାରୁ ତୁମ୍ଭ ପିତାଙ୍କର ଆଶୀର୍ବାଦ ଅଧିକ; ତାହା ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେବ; ତାହା ଯୋଷେଫର ମସ୍ତକରେ, ଅର୍ଥାତ୍, ଆପଣା ଭ୍ରାତୃଗଣଠାରୁ ପୃଥକ କୃତ ବ୍ୟକ୍ତିର ମସ୍ତକାଗ୍ରରେ ବର୍ତ୍ତିବ।
27 ବିନ୍ୟାମୀନ୍ ବିଦାରକ କେନ୍ଦୁଆ ତୁଲ୍ୟ; ପ୍ରାତଃକାଳରେ ସେ ମୃଗ ଭକ୍ଷଣ ଓ ସନ୍ଧ୍ୟାକାଳରେ ଶିକାର ବଣ୍ଟନ କରିବ।”
28 ଏମାନେ ଇସ୍ରାଏଲଙ୍କର ଦ୍ୱାଦଶ ବଂଶ; ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି ଏମାନଙ୍କର ପ୍ରତି ଜଣକୁ ବିଶେଷ ବିଶେଷ ଆଶୀର୍ବାଦ କଲେ।
29 ଏଥିଉତ୍ତାରେ ଯାକୁବ ସେମାନଙ୍କୁ ଆଦେଶ ଦେଇ କହିଲେ, “ମୁଁ ଆପଣା ଲୋକଙ୍କ ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ।
30 ଏହେତୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପେଲାର କ୍ଷେତ୍ର ହିତ୍ତୀୟ ଇଫ୍ରୋଣଠାରୁ କିଣିଥିଲେ, ସେହି ହିତ୍ତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋହର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ।
31 ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ଇସ୍ହାକଙ୍କର ଓ ତାଙ୍କର ଭାର୍ଯ୍ୟା ରିବିକାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ମୁଁ ମଧ୍ୟ ଲେୟାକୁ କବର ଦେଇଅଛି;
32 ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ହିତ୍ତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।”
33 ଏହିରୂପେ ଯାକୁବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତ କଲା ଉତ୍ତାରେ ଶଯ୍ୟାରେ ଦୁଇ ପାଦ ଏକତ୍ର କରି ପ୍ରାଣତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0