ବାଇବଲ · Indian Revised Version (Odia)
ଆଦି ପୁସ୍ତକ 14
1 ଏଥିଉତ୍ତାରେ ଶିନୀୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରୀୟୋକ୍ ରାଜା ଓ ଏଲମ୍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜାଙ୍କର ଅଧିକାର ସମୟରେ,
2 ଏମାନେ ସଦୋମର ରାଜା ବିରା ଓ ହମୋରାର ରାଜା ବିର୍ଶା ଓ ଅଦ୍ମାର ରାଜା ଶିନାବ୍ ଓ ସବୋୟୀମର ରାଜା ଶିମେବର ଓ ବିଲାର, ଅର୍ଥାତ୍, ସୋୟରର ରାଜା ସହିତ ଯୁଦ୍ଧ କଲେ।
3 ଏସମସ୍ତେ ସୀଦ୍ଦୀମ ପଦାରେ, ଅର୍ଥାତ୍, ଲବଣ ସମୁଦ୍ର ନିକଟରେ ଏକତ୍ର ହୋଇଥିଲେ।
4 ଯେହେତୁ ସେମାନେ ବାର ବର୍ଷ ପର୍ଯ୍ୟନ୍ତ କଦର୍ଲାୟୋମର ରାଜାଙ୍କର ବଶୀଭୂତ ରହି ତ୍ରୟୋଦଶ ବର୍ଷରେ ତାଙ୍କର ବିଦ୍ରୋହୀ ହୋଇଥିଲେ,
5 ଏହେତୁ ଚତୁର୍ଦ୍ଦଶ ବର୍ଷରେ କଦର୍ଲାୟୋମର ରାଜା ଓ ତାଙ୍କର ସହାୟ ରାଜାଗଣ ଆସି ଅସ୍ତରୋତ୍ କର୍ଣ୍ଣୟିମରେ ରଫାୟୀୟ ଲୋକମାନଙ୍କୁ ଓ ହମରେ ସୁଷୀୟ ଲୋକମାନଙ୍କୁ ଓ ଶାବୀ କିରୀୟାଥୟିମ୍ରେ ଏମୀୟ ଲୋକମାନଙ୍କୁ,
6 ଓ ପ୍ରାନ୍ତର ନିକଟସ୍ଥ ଏଲ-ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତ ନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ।
7 ପୁଣି, ସେମାନେ ସେହି ସ୍ଥାନରୁ ବାହୁଡ଼ି ଐଣ୍ମିସ୍ପଟ୍, ଅର୍ଥାତ୍, କାଦେଶକୁ ଯାଇ ଅମାଲେକୀୟ ଲୋକମାନଙ୍କର ସମସ୍ତ ଦେଶ ଓ ହତ୍-ସସୋନ୍-ତାମର ନିବାସୀ ଇମୋରୀୟ ଲୋକମାନଙ୍କୁ ପରାସ୍ତ କଲେ।
8 ଏହେତୁ ସଦୋମର ରାଜା ଓ ହମୋରାର ରାଜା ଓ ଅଦ୍ମାର ରାଜା ଓ ସବୋୟୀମର ରାଜା ଓ ବିଲାର, ଅର୍ଥାତ୍, ସୋୟରର ରାଜା, ଏହି ପାଞ୍ଚ ରାଜା ମିଳିତ ହୋଇ,
9 ଏଲମ୍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜା ଓ ଶିନୀୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରୀୟୋକ୍ ରାଜା, ଏହି ଚାରି ରାଜାଙ୍କ ସହିତ ସୀଦ୍ଦୀମ ପଦାରେ ଯୁଦ୍ଧ କରିବାକୁ ଲାଗିଲେ।
10 ସେହି ସୀଦ୍ଦୀମ ପଦାରେ ମାଟିଆ ତୈଳର ଅନେକ ଖାତ ଥିଲା; ସଦୋମ ଓ ହମୋରାର ରାଜାଗଣ ପଳାଇ ଯାଉ ଯାଉ ତହିଁ ମଧ୍ୟରେ ପଡ଼ିଲେ, ପୁଣି, ଯେଉଁମାନେ ଅବଶିଷ୍ଟ ରହିଲେ, ସେମାନେ ପର୍ବତକୁ ପଳାଇଗଲେ।
11 ଏଥିନିମନ୍ତେ ସେମାନେ ସଦୋମ ଓ ହମୋରାର ସମସ୍ତ ସମ୍ପତ୍ତି ଓ ଭକ୍ଷ୍ୟଦ୍ରବ୍ୟ ଲୁଟି ନେଇ ପ୍ରସ୍ଥାନ କଲେ।
12 ପୁଣି, ଅବ୍ରାମଙ୍କର ପୁତୁରା ସଦୋମନିବାସୀ ଲୋଟଙ୍କୁ ଓ ତାଙ୍କର ସମସ୍ତ ସମ୍ପତ୍ତି ନେଇ ଚାଲିଗଲେ।
13 ସେତେବେଳେ ଜଣେ ପଳାତକ ଏବ୍ରୀୟ ଅବ୍ରାମଙ୍କୁ ସମାଚାର ଦେଲା; ସେହି ସମୟରେ ଅବ୍ରାମ ଇଷ୍କୋଲର ଓ ଆନେର୍ର ଭ୍ରାତା ଇମୋରୀୟ ମମ୍ରିର ଅଲୋନ ବୃକ୍ଷ ମୂଳେ ବାସ କରୁଥିଲେ, ପୁଣି, ସେମାନେ ଅବ୍ରାମଙ୍କର ସହାୟ ଥିଲେ।
14 ସେତେବେଳେ ଅବ୍ରାମ ଆପଣା ଜ୍ଞାତି ଧରା ହୋଇ ଯିବାର ସମାଚାର ଶୁଣିବା ମାତ୍ରକେ (ଯୁଦ୍ଧ ବିଦ୍ୟାରେ) ଶିକ୍ଷିତ ଆପଣା ଗୃହଜାତ ତିନି ଶହ ଅଠର ଜଣ ଲୋକଙ୍କୁ ସଙ୍ଗରେ ଘେନି ଶତ୍ରୁଗଣର ପଛେ ପଛେ ଦୌଡ଼ି ଦାନ୍ ନଗର ପର୍ଯ୍ୟନ୍ତ ଗଲେ।
15 ଏଥିଉତ୍ତାରେ ସେ ଆପଣା ଦାସମାନଙ୍କୁ ଦୁଇ ଦଳ କରି ରାତ୍ରିକାଳରେ ଶତ୍ରୁମାନଙ୍କୁ ଆକ୍ରମଣ କଲେ, ପୁଣି, ଦମ୍ମେଶକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ।
16 ଆଉ, ସବୁ ସମ୍ପତ୍ତି ଓ ଆପଣାର ଜ୍ଞାତି ଲୋଟ ଓ ତାଙ୍କର ସମ୍ପତ୍ତି, ପୁଣି, ସ୍ତ୍ରୀଗଣ ଓ ଲୋକସମୂହକୁ ବାହୁଡ଼ାଇ ଆଣିଲେ।
17 ଏହିରୂପେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜାଗଣକୁ ଜୟ କରି ବାହୁଡ଼ିଲା ଉତ୍ତାରେ, ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍, ରାଜାର ପଦାକୁ ଗମନ କଲେ।
18 ପୁଣି, ଶାଲେମ୍ର ରାଜା ମଲ୍କୀଷେଦକ ରୁଟି ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ;
19 ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ-ପାତ୍ର ହେଉନ୍ତୁ;
20 ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ।” ସେତେବେଳେ (ଅବ୍ରାମ) ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ।
21 ଏଥିଉତ୍ତାରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, “ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ, ମାତ୍ର ମନୁଷ୍ୟ ସକଳ ଆମ୍ଭଙ୍କୁ ଦିଅ।”
22 ତହିଁରେ ଅବ୍ରାମ ସଦୋମର ରାଜାକୁ ଉତ୍ତର କଲେ, “ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ,
23 ମୁଁ ତୁମ୍ଭର କିଛି ନେବି ନାହିଁ, ଖଣ୍ଡିଏ ସୂତା କି ଜୋତାର ବନ୍ଧନୀ ହିଁ ନେବି ନାହିଁ; ପଛେ ଅବା ତୁମ୍ଭେ କହିବ, ‘ଆମ୍ଭେ ଅବ୍ରାମଙ୍କୁ ଧନବାନ କରିଅଛୁ।’
24 କେବଳ ମୋହର ଯୁବା ଲୋକମାନେ ଯାହା ଭୋଜନ କରିଅଛନ୍ତି, ତାହା ନେବି, ପୁଣି, ମୋହର ଯେଉଁ ସହାୟଗଣ ସଙ୍ଗରେ ଯାଇଥିଲେ, ସେମାନେ, ଅର୍ଥାତ୍, ଆନେର୍ ଓ ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ତବ୍ୟ ଭାଗ ଗ୍ରହଣ କରନ୍ତୁ।”
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0