ବାଇବଲ · Indian Revised Version (Odia)
ଏଷ୍ଟର 6
1 ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ; ଏଣୁ ସେ ସ୍ମରଣୀୟ ଇତିହାସ-ପୁସ୍ତକ ଆଣିବାକୁ ଆଜ୍ଞା ଦେଲେ ପୁଣି, ତାହା ରାଜାଙ୍କ ସାକ୍ଷାତରେ ପାଠ କରାଗଲା।
2 ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାଙ୍କ ନପୁଂସକ ବିଗ୍ଥନ୍ ଓ ତେରଶ୍ ନାମକ ଦୁଇ ଜଣ ଦ୍ୱାରପାଳ ଅକ୍ଷଶ୍ୱେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ବାଦ ଦେଇଥିଲେ।
3 ଏଣୁ ରାଜା ପଚାରିଲେ, “ଏଥିପାଇଁ ମର୍ଦ୍ଦଖୟଙ୍କୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆଯାଇଅଛି?” ରାଜାଙ୍କ ସେବାକାରୀ ଦାସମାନେ କହିଲେ, “ତାହାଙ୍କ ପାଇଁ କିଛି କରାଯାଇ ନାହିଁ।”
4 ତହୁଁ ରାଜା ପଚାରିଲେ, “ପ୍ରାଙ୍ଗଣରେ କିଏ କିଛି?” ଏହି ସମୟରେ ହାମନ୍ ଆପଣା ପ୍ରସ୍ତୁତ ଫାଶୀକାଠରେ ମର୍ଦ୍ଦଖୟଙ୍କୁ ଫାଶୀ ଦେବା ପାଇଁ ରାଜାକୁ କହିବା ନିମନ୍ତେ ରାଜଗୃହର ବାହାର ପ୍ରାଙ୍ଗଣକୁ ଆସିଥିଲେ।
5 ତେଣୁ ରାଜାଙ୍କ ଦାସମାନେ ତାହାଙ୍କୁ କହିଲେ, ଦେଖନ୍ତୁ, “ହାମନ୍ ପ୍ରାଙ୍ଗଣରେ ଠିଆ ହୋଇଅଛି।” ତେବେ ରାଜା କହିଲେ, “ସେ ଭିତରକୁ ଆସୁ।”
6 ତହିଁରେ ହାମନ୍ ଭିତରକୁ ଆସନ୍ତେ, ରାଜା ତାହାଙ୍କୁ କହିଲେ, “ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କଅଣ କରାଯିବ?” ହାମନ୍ ମନେ ମନେ ଭାଳିଲେ, ରାଜା ମୋʼ ବିନୁ ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ?
7 ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦେଲା, “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି,
8 ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସ୍ତ୍ର ଓ ମହାରାଜାଙ୍କ ଆରୋହଣର ରାଜମୁକୁଟଭୂଷିତ ଅଶ୍ୱ ଅଣାଯାଉ।
9 ଆଉ, ସେହି ବସ୍ତ୍ର ଓ ଅଶ୍ୱ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ; ପୁଣି, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାଙ୍କୁ ସେମାନେ ସେହି ରାଜବସ୍ତ୍ର ପିନ୍ଧାଉନ୍ତୁ ଓ ସେହି ଅଶ୍ୱରେ ଆରୋହଣ କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରନ୍ତୁ, ‘ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ।’”
10 ଏଥିରେ ରାଜା ହାମନ୍କୁ କହିଲେ, “ତୁମ୍ଭେ ଏହା ଶୀଘ୍ର କର; ଯେପରି କହିଲ, ସେପରି ସେହି ବସ୍ତ୍ର ଓ ସେହି ଅଶ୍ୱ ଘେନି ରାଜଦ୍ୱାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦଖୟ ପ୍ରତି କର; ତୁମ୍ଭେ ଯେସକଳ କଥା କହିଅଛ, ତହିଁରୁ କିଛି ହିଁ ଊଣା କର ନାହିଁ।”
11 ତେଣୁ ହାମନ୍ ସେହି ବସ୍ତ୍ର ଓ ଅଶ୍ୱ ନେଇ ମର୍ଦ୍ଦଖୟଙ୍କୁ ବସ୍ତ୍ରାନ୍ୱିତ କଲେ ଓ ଅଶ୍ୱାରୋହଣ କରାଇ ନଗରର ଦାଣ୍ଡରେ ବୁଲାଇଲେ, ପୁଣି “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ;” ଏହି କଥା ତାହାର ଆଗେ ଆଗେ ଘୋଷଣା କଲେ।
12 ଏଉତ୍ତାରୁ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲେ, ମାତ୍ର ହାମନ୍ ଶୋକାନ୍ୱିତ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲେ।
13 ପୁଣି, ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ଆପଣା ଭାର୍ଯ୍ୟା ସେରଶ୍କୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲେ; ତହିଁରେ ତାହାଙ୍କର ଜ୍ଞାନୀ ଲୋକମାନେ ଓ ତାହାଙ୍କ ଭାର୍ଯ୍ୟା ସେରଶ୍ ତାହାଙ୍କୁ କହିଲେ, “ଯାହା ସାକ୍ଷାତରେ ତୁମ୍ଭର ଏହି ପତନର ଆରମ୍ଭ ହୋଇଅଛି, ସେ ମର୍ଦ୍ଦଖୟ ଯେବେ ଯିହୁଦୀ ବଂଶୀୟ ଲୋକ ହୁଏ, ତେବେ ତୁମ୍ଭେ ତାହାଙ୍କୁ ଜୟ କରି ପାରିବ ନାହିଁ; ମାତ୍ର ତାହାର ସାକ୍ଷାତରେ ନିତାନ୍ତ ପତିତ ହେବ।”
14 ସେମାନେ ତାହା ସହିତ ଏରୂପ କଥାବାର୍ତ୍ତା କରୁ କରୁ ରାଜନପୁଂସକମାନେ ଆସି ଏଷ୍ଟରଙ୍କ ପ୍ରସ୍ତୁତ ଭୋଜକୁ ହାମନ୍କୁ ନେବା ପାଇଁ ଚଞ୍ଚଳ ହେଲେ।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0