ବାଇବଲ · Indian Revised Version (Odia)
୨ ତୀମଥି 3
1 କିନ୍ତୁ ଏହା ଜାଣିଥାଅ ଯେ, ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ;
2 କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଙ୍କାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ,
3 ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ,
4 ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ବରପ୍ରିୟ ନ ହୋଇ ବରଂ ବିଳାସ-ପ୍ରିୟ ହେବେ;
5 ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ।
6 କାରଣ ଏମାନଙ୍କ ମଧ୍ୟରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅଭିଳାଷରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି;
7 ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ମଧ୍ୟ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ।
8 ଆଉ ଯେପରି ଯନ୍ନିସ୍ ଓ ଯମ୍ବ୍ରୀସ୍ ମୋଶାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି, ଏମାନେ ମନରେ ଭ୍ରଷ୍ଟ ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣସିଦ୍ଧ ନୁହଁନ୍ତି।
9 କିନ୍ତୁ ସେମାନେ ଆଉ ଅଧିକ ଆଗକୁ ଯିବେ ନାହିଁ; କାରଣ ସେହି ଦୁଇ ଜଣଙ୍କର ମୂର୍ଖତା ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ଜଣାପଡ଼ିବ।
10 କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର-ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୈର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ।
11 ଆନ୍ତିୟଖିଆ, ଇକନୀୟ ଓ ଲୁସ୍ତ୍ରା ସହରମାନଙ୍କରେ ମୋʼ ପ୍ରତି ସେହିପରି ତାଡ଼ନା ଘଟିଥିଲା; ମୁଁ ତାହା ସହ୍ୟ କରିଥିଲି, ଆଉ ପ୍ରଭୁ ମୋତେ ସେସବୁରୁ ଉଦ୍ଧାର କରିଥିଲେ।
12 ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧାର୍ମିକ ଜୀବନଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ।
13 କିନ୍ତୁ ଦୁଷ୍ଟ ଲୋକେ ଓ ଠକ ଲୋକମାନେ ଭ୍ରାନ୍ତି ଜନ୍ମାଇ ଓ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ।
14 କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟରେ ନିଶ୍ଚିତ ବିଶ୍ୱାସ କରିଅଛ, ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ, କେଉଁମାନଙ୍କଠାରୁ ସେହିସବୁ ଶିକ୍ଷା କରିଅଛ;
15 ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ।
16 ସମସ୍ତ ଶାସ୍ତ୍ର ଈଶ୍ବର ନିଶ୍ଵସିତ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ,
17 ଯେପରି ଈଶ୍ବରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0