ବାଇବଲ · Indian Revised Version (Odia)
୧ ପିତର 3
1 ସେହିପରି, ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ,
2 ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ।
3 ପୁଣି, କେଶବେଶ, ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟ ଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହୋଇ,
4 ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ବରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ।
5 କାରଣ ପୂର୍ବକାଳରେ ସାଧ୍ୱୀ ସ୍ତ୍ରୀମାନେ ମଧ୍ୟ ଈଶ୍ବରଙ୍କଠାରେ ଭରସା ରଖି ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୋଇ ଏହି ପ୍ରକାରେ ଆପଣା ଆପଣାକୁ ଭୂଷିତା କରୁଥିଲେ।
6 ସେହିପରି ସାରା ଅବ୍ରହାମଙ୍କୁ ପ୍ରଭୁ ବୋଲି କହି ତାହାଙ୍କର ଆଜ୍ଞାବହ ହେଲେ; ତୁମ୍ଭେମାନେ ଯଦି କୌଣସି ବିଷୟରେ ଭୀତ ନ ହୋଇ ସଦାଚରଣ କର, ତେବେ ତୁମ୍ଭେମାନେ ହିଁ ତାହାଙ୍କର ସନ୍ତାନ।
7 ସେହି ପ୍ରକାରେ, ହେ ସ୍ୱାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥିନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା-ପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି, ଜ୍ଞାନରେ ସେମାନଙ୍କର ସହିତ ବାସ କର।
8 ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ;
9 ଅନିଷ୍ଟ ପରିବର୍ତ୍ତେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ।
10 ଯେଣୁ, “ଯେ ଜୀବନରେ ସୁଖଭୋଗ କରିବାକୁ ପୁଣି, ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ୱାକୁ, ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ବନ୍ଦ କରୁ;
11 ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ।
12 କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ।”
13 ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ?
14 ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍ବିଗ୍ନ ହୁଅ ନାହିଁ;
15 କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,
16 ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ।
17 କାରଣ ଦୁଷ୍କର୍ମ ସକାଶେ ଦୁଃଖଭୋଗ କରିବାଠାରୁ ବରଂ ଯଦି ଈଶ୍ବରଙ୍କର ଇଚ୍ଛା ହୁଏ, ତାହାହେଲେ ସତ୍କର୍ମ ସକାଶେ ଦୁଃଖଭୋଗ କରିବା ଭଲ।
18 ଯେଣୁ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ;
19 ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ;
20 ପୂର୍ବକାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ, ଯେତେବେଳେ ଈଶ୍ବର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ, ଅର୍ଥାତ୍ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ;
21 ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ବରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି;
22 ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0