ବାଇବଲ · Indian Revised Version (Odia)
ପ୍ରଥମ ବଂଶାବଳୀ 14
1 ଏଥିଉତ୍ତାରେ ସୋରର ରାଜା ହୂରମ୍ ଦାଉଦଙ୍କ ନିକଟକୁ ଦୂତଗଣ ଓ ତାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଏରସ କାଷ୍ଠ ଓ ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲା।
2 ତହିଁରେ ସଦାପ୍ରଭୁ ଯେ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ, ଏହା ସେ ବୁଝିଲେ, କାରଣ ତାହାଙ୍କ ଲୋକ ଇସ୍ରାଏଲ ସକାଶୁ ତାଙ୍କର ରାଜ୍ୟ ଉନ୍ନତିପ୍ରାପ୍ତ ହୋଇଥିଲା।
3 ପୁଣି, ଦାଉଦ ଯିରୂଶାଲମରେ ଆହୁରି ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ।
4 ଯିରୂଶାଲମରେ ତାଙ୍କର ଯେଉଁ ଯେଉଁ ସନ୍ତାନ ଜନ୍ମିଲେ, ସେମାନଙ୍କର ନାମ; ଶମ୍ମୂୟ, ଶୋବବ୍, ନାଥନ, ଶଲୋମନ,
5 ୟିଭର, ଇଲୀଶୂୟ, ଇଲ୍ପେଲଟ୍,
6 ନୋଗହ, ନେଫଗ୍, ଯାଫୀୟ,
7 ଇଲୀଶାମା, ବୀଲୀୟାଦା ଓ ଇଲୀଫେଲଟ୍।
8 ଏଉତ୍ତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣନ୍ତେ, ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଗଲେ; ତହୁଁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ।
9 ଏହି ସମୟରେ ପଲେଷ୍ଟୀୟମାନେ ରଫାୟୀମ ତଳଭୂମିରେ ଚଢ଼ାଉ କରିଥିଲେ।
10 ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ, “ମୁଁ କʼଣ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କʼଣ ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ?” ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠିଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
11 ତହୁଁ ସେମାନେ ବାଲ୍-ପରାସୀମ୍କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ତହିଁରେ ଦାଉଦ କହିଲେ, “ପରମେଶ୍ୱର ମୋʼ ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେମାନେ ସେହି ସ୍ଥାନର ନାମ “ବାଲ୍-ପରାସୀମ୍” ରଖିଲେ।
12 ଆଉ ସେଠାରେ ସେମାନେ ଆପଣାମାନଙ୍କ ଦେବତାମାନଙ୍କୁ ଛାଡ଼ି ଯାଇଥିଲେ; ପୁଣି, ଦାଉଦ ଆଜ୍ଞା କରନ୍ତେ, ସେହି ସବୁ ଅଗ୍ନିରେ ଦଗ୍ଧ କରାଗଲା।
13 ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ତଳିଭୂମିରେ ଚଢ଼ାଉ କଲେ।
14 ତହିଁରେ ଦାଉଦ ପରମେଶ୍ୱରଙ୍କୁ ପୁନର୍ବାର ପଚାରନ୍ତେ, ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ସେମାନଙ୍କ ପଶ୍ଚାତ୍ ଯାଅ ନାହିଁ; ସେମାନଙ୍କ ନିକଟରୁ ଫେରିଯାଇ ତୂତ ବୃକ୍ଷ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର।
15 ପୁଣି, ତୁମ୍ଭେ ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ, ଯୁଦ୍ଧକୁ ବାହାରିବ; କାରଣ ପରମେଶ୍ୱର ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।”
16 ତହିଁରେ ପରମେଶ୍ୱର ଯେପରି ଆଜ୍ଞା କଲେ, ଦାଉଦ ସେହିପରି କଲେ; ପୁଣି, ସେମାନେ ଗିବୀୟୋନ୍ଠାରୁ ଗେଷର ପର୍ଯ୍ୟନ୍ତ ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କଲେ।
17 ତହିଁରେ ଦାଉଦଙ୍କର ସୁଖ୍ୟାତି ସର୍ବଦେଶରେ ବ୍ୟାପିଗଲା; ପୁଣି, ସଦାପ୍ରଭୁ ସବୁ ଗୋଷ୍ଠୀ ମଧ୍ୟରେ ତାଙ୍କ ବିଷୟରେ ଭୟ ଜନ୍ମାଇଲେ।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0